ଓଡ଼ିଆ ବିଭାଗ ସମ୍ପର୍କରେ

୧୮୬୮ ମସିହାରେ ସ୍ଥାପିତ ହୋଇଥିବା ‘କଟକ କଲେଜ’ ପରବର୍ତ୍ତୀ ସମୟରେ ରେଭେନ୍‌ସା ମହାବିଦ୍ୟାଳୟ ରୂପେ ପରିଚିତି ପାଇଲା ଓ ୨୦୦୬ ମସିହାରେ ତାହା ବିଶ୍ୱବିଦ୍ୟାଳୟର ମାନ୍ୟତା ଲାଭ କଲା । ଓଡ଼ିଶାରେ ଉଚ୍ଚଶିକ୍ଷା ପଦ୍ଧତିରେ ଭର୍ଣ୍ଣାକୁଲାର ଭାଷା ଭାବେ ଅଧ୍ୟାୟୀମାନଙ୍କ ପାଇଁ ଓଡ଼ିଆ ଅଧ୍ୟୟନ ୧୯୦୨ ମସିହାରେ ରେଭେନ୍‌ସା ମହାବିଦ୍ୟାଳୟ ଜରିଆରେ ଆରମ୍ଭ ହୋଇଥିଲା । ପ୍ରଥମେ ଓଡ଼ିଆ ଭାଷା ସାହିତ୍ୟ ପଢାଇବା ପାଇଁ ସଂସ୍କୃତ ପଣ୍ଡିତମାନେ ନିଯୁକ୍ତ ହୋଇଥିଲେ । ପ୍ରଥମ ସଂସ୍କୃତ ଏବଂ ଓଡ଼ିଆ ବିଭାଗର ଅଧ୍ୟାପକଭାବେ କାଶୀନାଥ ଦାସ ସଂପୃକ୍ତ ଥିଲେ । ପରବର୍ତ୍ତୀ ସମୟରେ ଆର୍ତ୍ତବଲ୍ଲଭ ମହାନ୍ତି, ଲକ୍ଷ୍ମୀକାନ୍ତ ଚୌଧୁରୀ, ରତ୍ନାକର ପତି, ବିପିନ ବିହାରୀ ରାୟ, ମାୟାଧର ମାନସିଂହ, କରୁଣାକର କର, କୁଞ୍ଜବିହାରୀ ତ୍ରିପାଠୀ ପ୍ରମୁଖ ବିଭାଗ ସଂପୃକ୍ତି ଥାଇ ବା ନଥାଇ ଓଡ଼ିଆ ଅଧ୍ୟାପନା ସହିତ ଜଡ଼ିତ ରହିଥିଲେ । ୧୯୪୨ମସିହାରେ ରେଭେନ୍‌ସା ମହାବିଦ୍ୟାଳୟରେ ଓଡ଼ିଆ ସ୍ନାତକ ଶିକ୍ଷାଦାନ ଓ ୧୯୪୬ରେ ସ୍ନାତକୋତ୍ତର ଶିକ୍ଷାଦାନର ଆରମ୍ଭ ବେଳେ ଆର୍ତ୍ତବଲ୍ଲ ମହାନ୍ତିଙ୍କୁ ସଂସ୍କୃତ ଏବଂ ଓଡ଼ିଆ ବିଭାଗର ପ୍ରଥମ ପ୍ରଫେସର୍‌ ମାନ୍ୟତା ମିଳିଥିଲା। ପୂର୍ବରୁ ଏକତ୍ର ଥିବା ସଂସ୍କୃତ ଓ ଓଡ଼ିଆ ବିଭାଗ ୧୯୬୮-୬୯ରେ ଦୁଇଟି ସ୍ୱତନ୍ତ୍ର ବିଭାଗରୂପେ ମାନ୍ୟତା ପାଇଲେ । ୧୯୮୨ରେ ଓଡ଼ିଆରେ କଳାଭୂଷଣ (ଏମ୍‌.ଫିଲ୍‌) ଅଧ୍ୟୟନ ଆରମ୍ଭ ହେଲା। ୨୦୦୬ ମସିହାରେ ରେଭେନ୍ସା କଲେଜ ବିଶ୍ୱବିଦ୍ୟାଳୟର ମାନ୍ୟତା ପାଇବା ପରେ କଳାବିଭୂଷଣ ରୂପେ ଗବେଷକ ଗବେଷିକାମାନେ ଗବେଷଣା ନିମିତ୍ତ ବିଭାଗରେ ଯୋଗଦାନ କଲେ ।

  ଏହି ବିଭାଗ ଅନେକ ବିଦ୍ୱାନ ପଣ୍ଡିତମାନଙ୍କୁ ନେଇ ସମୃଦ୍ଧ ହୋଇଥିଲା ସେମାନଙ୍କ ମଧ୍ୟରୁ ପ୍ରଫେସର କରୁଣାକର କର (ଭାଷାବିତ୍‌), ପ୍ରଫେସର କୁଞ୍ଜବିହାରୀ ଦାଶ (ଲୋକତତ୍ତ୍ୱବିତ୍‌), ପ୍ରଫେସର କୁଞ୍ଜବିହାରୀ ତ୍ରିପାଠୀ (ଭାଷାବିତ୍‌), ପ୍ରଫେସର ଗୋଲୋକ ବିହାରୀ ଧଳ (ଭାଷାବିତ୍‌) ଏବଂ ପ୍ରଫେସର ଜାନକୀ ବଲ୍ଲଭ ମହାନ୍ତି (ଭରଦ୍ୱାଜ) ଅନ୍ୟତମ । 

ରେଭେନ୍‌ସା ବିଶ୍ୱବିଦ୍ୟାଳୟର ଓଡ଼ିଆ ଭାଷା ଓ ସାହିତ୍ୟ ବିଭାଗ ରାଜ୍ୟର ଏକ ଅଗ୍ରଣୀ ବିଭାଗରୂପେ ବେଶ୍‌ ପରିଚିତ । ଏହି ବିଭାଗ ଦୀର୍ଘ ଅର୍ଦ୍ଧ ଶତାବ୍ଦୀରୁ ଉର୍ଦ୍ଧ୍ୱ ବର୍ଷ ଧରି ନିରବଚ୍ଛିନ୍ନଭାବେ ଓଡ଼ିଆ ଭାଷାଭାଷୀ ତଥା ଓଡ଼ିଆ ଭାଷା ସାହିତ୍ୟ ପ୍ରତି ଆଗ୍ରହୀ ଜନସାଧାରଣଙ୍କର ଉଚ୍ଚଶିକ୍ଷା ତଥା ଆଶାଆକାଂକ୍ଷାକୁ ପରିପୂର୍ଣ୍ଣ କରି ଆସୁଅଛି । ଓଡ଼ିଆ ଭାଷା ଓ ସାହିତ୍ୟ ବିଭାଗରେ ଓଡ଼ିଆ ସ୍ନାତକ, ସ୍ନାତକୋତ୍ତର, କଳାଭୂଷଣ ଏବଂ କଳାବିଭୂଷଣ ପାଠ୍ୟକ୍ରମର ସୁବିଧା ସୁଯୋଗ ରହିଛି । ଓଡ଼ିଆ ସାହିତ୍ୟ, ଓଡ଼ିଆ ଭାଷା, ଓଡ଼ିଆ ସଂସ୍କୃତି, ଆଦିବାସୀ ଭାଷା ସଂସ୍କୃତି କ୍ଷେତ୍ରରେ ଅଧିକରୁ ଅଧିକ ଗବେଷଣା ଓ ଓଡ଼ିଆ ଭାଷାରେ କମ୍ପ୍ୟୁଟରର ବ୍ୟବହାର ନିମନ୍ତେ ଓଡ଼ିଆ ବିଭାଗ ସର୍ବଦା ଉଦ୍ୟମରତ । ଅନ୍ୟାନ୍ୟ ଭାରତୀୟ ଭାଷାମାନଙ୍କର ସମକକ୍ଷ ହେବାପାଇଁ କମ୍ପ୍ୟୁଟର୍‌ ମାଧ୍ୟମରେ ଓଡ଼ିଆ ଭାଷାକୁ ବ୍ୟବହାର ଉପଯୋଗୀ କରିବା ନିମନ୍ତେ ଏହି ପାଠ୍ୟକ୍ରମ ପ୍ରଣୟନ କରାଯାଇଛି ।

୧୯୭୬ ମସିହାରେ ପ୍ରଫେସର୍‌ ଜାନକୀବଲ୍ଲଭ ମହାନ୍ତିଙ୍କ ପ୍ରଚେଷ୍ଟା ତଥା ମୁଖ୍ୟ ପୃଷ୍ଠପୋଷକତାରେ ଓଡ଼ିଆ ବିଭାଗର ମୁଖପତ୍ର ସାହିତ୍ୟ ପତ୍ର ପ୍ରଥମେ ପ୍ରକାଶିତ ହୋଇଥିଲା। ସ୍ନାତକୋତ୍ତର ଶ୍ରେଣୀର ଅଧ୍ୟାୟୀମାନଙ୍କର ପାଠଚକ୍ର ନିମନ୍ତେ ପ୍ରଦତ୍ତ ଅର୍ଥରାଶିର ଅନୁଦାନରେ ନିୟମିତ ଭାବେ ଏହି ମୁଖପତ୍ର ପ୍ରକାଶିତ ହୋଇଥିଲା । ମୁଖପତ୍ର ଗୁଡ଼ିକରେ ପରବର୍ତ୍ତୀ ସମୟରେ ସାହିତ୍ୟର ବିଭିନ୍ନ ଦିଗ ଯଥା: ନାଟକ, ଆଧୁନିକ କବିତା, ନାଟକ, ଭାଷାତତ୍ତ୍ୱ, ଗଳ୍ପ, ଭଂଜସାହିତ୍ୟ, ରସତତ୍ତ୍ୱ, ସାହିତ୍ୟ ସମାଲୋଚନା ଇତ୍ୟାଦି ବିଶେଷାଙ୍କ ମଧ୍ୟ ପ୍ରକାଶିତ ହୋଇଅଛି । ଏହି ସବୁ ବିଶେଷାଙ୍କଗୁଡ଼ିକରେ ମୁଖ୍ୟତଃ ବିଭାଗର ଅଧ୍ୟାପକ ଅଧ୍ୟାପିକା ଏବଂ ଅଧ୍ୟାୟୀମାନଙ୍କ ସହ ରାଜ୍ୟର ପ୍ରମୁଖ ସାହିତ୍ୟିକମାନଙ୍କର ଗବେଷଣାତ୍ମକ ରଚନା ପ୍ରକାଶିତ ହୁଏ । ବିଭାଗରେ ଓଡ଼ିଆ ସାହିତ୍ୟର ଅନେକ ବିରଳ ଫଟୋଚିତ୍ର ସହ ଓଡ଼ିଶାର ବହୁ ପ୍ରଖ୍ୟାତ ଐତିହାସିକ, କଳାକାର, ସଙ୍ଗୀତଜ୍ଞ ଓ ସ୍ୱାଧୀନତାସଂଗ୍ରାମୀମାନଙ୍କର ବିରଳ ଫଟୋଚିତ୍ର ସଂଗୃହିତ କରି ଫୋଟ ଆଲବମ୍ (ପ୍ରଥମ ଭାଗ, ଦ୍ୱିତୀୟଭାଗ) ପ୍ରସ୍ତୁତ କରି ପ୍ରକାଶିତ ହୋଇଛି । ଓଡ଼ିଆ ବିଭାଗରେ ୪୦ରୁ ଉର୍ଦ୍ଧ୍ୱ ଦୁର୍ଲଭ ପ୍ରାଚୀନ ପୋଥି ସଂଗୃହିତ ହୋଇ ରଖାଯାଇଛି । ୩୫୦୦ରୁ ଉର୍ଦ୍ଧ୍ୱ ପୁସ୍ତକ ସମାହାରରେ ଅଧ୍ୟାୟୀମାନଙ୍କ ପାଇଁ ଆର୍ତ୍ତବଲ୍ଲଭ ପାଠାଗାରର ବ୍ୟବସ୍ଥା ମଧ୍ୟ ରହିଅଛି ।

ଓଡ଼ିଆ ଭାଷା ଓ ସାହିତ୍ୟ ବିଭାଗ ପ୍ରତି ଶିକ୍ଷାବର୍ଷରେ ଏକାଧିକ ବାର ଜାତୀୟ ଏବଂ ରାଜ୍ୟସ୍ତରୀୟ ସଂପାନ ମଧ୍ୟ ଆୟୋଜିତ କରି ଆସୁଅଛି । ଏହି ସଂପାନରେ ରାଜ୍ୟ ତଥା ରାଜ୍ୟ ବାହରେ ଥିବା ଓଡ଼ିଆ ଭାଷା ସାହିତ୍ୟ ଏବଂ ସଂସ୍କୃତିର ପ୍ରମୁଖ ବିଷୟ ବିଶେଷଜ୍ଞମାନଙ୍କୁ ନିମନ୍ତ୍ରିତ କରି ଏକ ନିର୍ଦ୍ଧିଷ୍ଟ ପ୍ରସଙ୍ଗରେ ସଂପାନମାନ ଆୟୋଜିତ କରେ । ଏହାଛଡ଼ା ବିଭାଗ ପ୍ରତି ସପ୍ତାହରେ ଥରେ ସାପ୍ତାହିକ ପାଠଚକ୍ର ଆୟୋଜନ କରି ଆସୁଅଛି, ବିଭିନ୍ନ ପ୍ରସଙ୍ଗକୁ ଆଧାରକରି ବିଷୟ ବିଶେଷଜ୍ଞଙ୍କୁ ନିମନ୍ତ୍ରଣ କରି ଏହି ପାଠଚକ୍ର ଆୟୋଜନ କରାଯାଏ ।

ଗୁଣାତ୍ମକ ଏବଂ ମୂଲ୍ୟବୋଧ ଭିତ୍ତିକ ଶିକ୍ଷା ସହ ଅଧ୍ୟାୟୀମାନଙ୍କର ଭାଷା ସାହିତ୍ୟ ପ୍ରତି ଆଗ୍ରହ ସୃଷ୍ଟି କରିବା ପାଇଁ ଓଡ଼ିଆ ବିଭାଗ ବେଶ୍‌ ଯତ୍ନବାନ, ଏହି ପରିପ୍ରେକ୍ଷୀରେ ପ୍ରତିବର୍ଷ ଅଧ୍ୟାୟୀମାନଙ୍କୁ ନେଇ ବିବିଧ ପ୍ରକାର ପ୍ରତିଯୋଗିତା ଯଥା ଗଳ୍ପଲିଖନ, ପ୍ରବନ୍ଧ ଲିଖନ, କବିତା ଲିଖନ, କବିତା ଆବୃତ୍ତି ସହ ଭାଷା, ସାହିତ୍ୟ ଏବଂ ସଂସ୍କୃତି ସମ୍ପର୍କିତ ସାଧାରଣ ଜ୍ଞାନ ପ୍ରତିଯୋଗିତାମାନ ଆୟୋଜିତ କରେ ।

ପୂର୍ବତନ ବିଭାଗମୁଖ୍ୟଙ୍କ ତାଲିକା – ରେଭେନ୍‌ସା ମହାବିଦ୍ୟାଳୟ

ପ୍ରଫେସର କୁଞ୍ଜବିହାରୀ ତ୍ରିପାଠୀ

ପ୍ରଫେସର ଆର୍ତ୍ତବଲ୍ଲଭ ମହାନ୍ତି

ପ୍ରଫେସର କରୁଣାକର କର

ପ୍ରଫେସର କୁଞ୍ଜବିଦାରୀ ଦାଶ

ପ୍ରଫେସର ଗୋଲୋକବିହାରୀ ଧଳ

ପ୍ରଫେସର ଜାନକୀବଲ୍ଲଭ ମହାନ୍ତି

ପ୍ରଫେସର ସାବିତ୍ରୀ ଦେବୀ

ପ୍ରଫେସର ବାଉରୀବନ୍ଧୁ ସାହୁ

ଡକ୍ଟର ଗିରୀଶଚନ୍ଦ୍ର ମିଶ୍ର

(୩୧.୦୭.୨୦୦୩ – ୩୦.୦୬.୨୦୦୬)

ଡକ୍ଟର ନଟବର ଶତପଥୀ

(୩୦.୦୬.୨୦୦୬ – ୩୧.୦୧.୨୦୦୭)

ଡକ୍ଟର ମହେଶ୍ୱର ଦାସ

୩୧.୦୧.୨୦୦୭ –୨୪.୦୯.୨୦୦୮, ୦୨.୦୫.୨୦୧୧ – ୦୧.୦୫.୨୦୧୩

ଡକ୍ଟର ବିଷ୍ଣୁପ୍ରିୟା ଓତା

(୦୭.୦୧.୨୦୦୯ – ୦୨.୦୭.୨୦୧୦)

ଡକ୍ଟର ବୀଣା ଜେନା

(୦୨.୦୭.୨୦୧୦ – ୨୧.୧୨.୨୦୧୦)

ଡକ୍ଟର ବିଜୟଲକ୍ଷ୍ମୀ ଦାଶ

୨୧.୧୨.୨୦୧୦ – ୦୨.୦୫.୨୦୧୧, ୦୧.୦୭.୨୦୧୬ – ୩୧.୦୫.୨୦୧୮

ଡକ୍ଟର ଗୌରାଙ୍ଗ ଚରଣ ଦାଶ

୦୧.୦୫.୨୦୧୩ – ୦୧.୦୬.୨୦୧୫, ୧୫.୧୦.୨୦୧୫ – ୩୧.୦୬.୨୦୧୬

ଡକ୍ଟର ପ୍ରେମାନନ୍ଦ ମହାପାତ୍ର

୦୧.୦୬.୨୦୧୫ - ୧୫.୧୦.୨୦୧୫

ଡକ୍ଟର ରାଜାକୁମାର ନାଏକ

୦୧.୦୬.୨୦୧୮ – ୩୧.୦୬.୨୦୨୧

ଡକ୍ଟର ଜ୍ଞାନୀ ଦେବାଶିଷ ମିଶ୍ର

୧.୦୭.୨୦୨୧-ଏ ପର୍ଯ୍ୟନ୍ତ